Unknown

 

 

 

 

 

 

 

 

 

 

 

ଅଜପା ଜପ

ରାମଚନ୍ଦ୍ର ସେଠୀ

 

ତାରାଦେଖା

 

ଯୀଶୁଖ୍ରୀଷ୍ଟ ଜନ୍ମବେଳେ ଯେଉଁତାରା

ଆକାଶରେ ଫୁଟିଥିଲା ଥରେ

ସେ ତାରାକୁ ଆସ ଦେଖି ଯିବା

ଯନ୍ତ୍ରଣାର ସଙ୍ଗୀତରେ

ସ୍ୱାଗତିକା ଆନନ୍ଦେ ଗାଇବା ।।

ଯୀଶୁଖ୍ରୀଷ୍ଟ ଜନ୍ମ ବେଳେ ଯେଉଁ ତାରା

ଆକାଶରେ ଫୁଟିଥିଲା ଥରେ

ଆଖିଲୁହେ ପ୍ରତିବିମ୍ବ ତାର

ହଜିଯାଏ ପଣନ୍ତ କାନିରେ ।।

ମେଷପାଳକ କହିଲା ସେ ତାରକା

ଏ ତାରା ନୁହଇ–

ଯଦି ଅବା ଯୀଶୁଖ୍ରୀଷ୍ଟ ଜନ୍ମନେଲେ କାହିଁ ?

ଘନ ଅନ୍ଧକାରେ ଏକ

ଉଜ୍ଜ୍ୱଳ ତାରକା ଜନ୍ମନେଲେ

ହୋଇଥାନ୍ତା ରାଜ୍ୟସାରା ହୁରି

ସେ ତାରକା ଜନ୍ମନେଲେ, ଏ ରାତ୍ରିରେ

ନଥାନ୍ତା ଏ ଜାଲଜୁଆଚୋରୀ ।।

ବିଜନ ଝରଣା କହେ, ତା ବୁକୁରୁ ପ୍ରତିବିମ୍ବ

ଜମା ଲିଭୁନାଇଁ, ଦିବ୍ୟ ଏକ ଆକାଶ ତାରକା

ଲୁଚି ଛପି ଚାହିଁ ଲୁଚି ଗଲା

ଯାହାକୁ ମୁଁ ଦେଖିଅଛି ଏକା ।।

ଚାଲ ଦେଖିଯିବା, ସେ ତାରକା ଜନ୍ମି ନାଇଁ

ତା ପୂର୍ବରୁ ଗର୍ଭର ଯନ୍ତ୍ରଣା

ସେ ଏକ ଅବୋଧ ଶିଶୁ ଫେରିଯିବ

ନିଶ୍ଚେ ଫେରିଯିବ

ଜନ୍ମିବା ଆଗରୁ

ମମତାରୁ ତିଳେହେଲେ ଊଣା ।।

Image

 

ଖୋଲାଝର୍କାର ଅନ୍ତରାଳ

 

କାଚପାତ୍ର ଜଳେ ଯେବେ ଫୁଟାଏ ମୁଁ–

ଚମ୍ପାକଢ଼ ମୁଁ କି ତାରବୃନ୍ତ ?

ମୁଁ ଏକ ନିସଙ୍ଗ ତାରା–

ଅନେକ ରାତ୍ରିରୁ ଭିନ୍ନ–

ମୁଁ ଏକ ନିଶୀଥ ।।

ମଣିଷର ଜଙ୍ଗଲରେ ଅନେକ ଖୋଜିଲି

ଆଉ ନପାଇବା ପରେ ଖୋଜୁଥିଲି ତୁମକୁ ସକାଳ

ଅନେକ ଆଶାରେ ଫୁଲି

ହେ ସକାଳ-ଅନ୍ତରଙ୍ଗ କଅଁଳି ସକାଳ ।।

ଖଣ୍ଡିଆ ଭୂତର କୁଟା ମୋ ଦେହରେ ଲାଗିନାଇଁ

କା ପଣନ୍ତ ଲାଗିନି ମୋଠାରେ

ତଥାପି ମୁଁ ଏକ କଣ୍ଟାକଢ଼ି

ଅଠର ନଳା ପୋଲରେ ଘଡ଼ ଘଡ଼ ଶବ୍ଦକରି

ଗଡ଼ିଯାଏ କୁମ୍ଭକାର କୁଡ଼ୁଆ ଶଗଡ଼

ଜଗନ୍ନାଥ ବସିବ ଭୋକିଲା

ସିଂହଦ୍ୱାର ଦରଜା ପଡ଼ିବ ବଡ଼ ପଣ୍ଡା

ଦେବ ଛାଡ଼ ବାଡ଼ ।।

ମୁଁ ନୁହେଁ ଚମ୍ପାର ବୃନ୍ତ

ମନଲାଖି ସକାଳ ବା କଣ୍ଟାବାଡ଼–

କିନ୍ତୁ ଏକ ଖେଳର କଣ୍ଢେଇ

ପିଞ୍ଜରା ସାଜିଲି ଆଉ ନିଜ ପାଇଁ ନିଜେ ଯତୁଶାଳା

ଉଷୁମ ଲୁହ ଲହୁରେ ଏବେ ତରଳୁଛି

କିଏବା ବାରତା ଦେବ କେଉଁ ବଣରେ ହଜିଛି, ଆଉ ହଜିଗଲା

ମୋ ପ୍ରାଣର ଚଢ଼େଇ ?

Image

 

ନିଶବ୍ଦ ତିଳକ

 

ବୟସର ବିବର୍ଣ୍ଣ ଫୁଲ ଫୁଟାଏ ମୁଖର ଅରଣ୍ୟ

ଯାହାର ସଂଯୋଗ ହୁଏ ପଥହୀନ ଅଝାଡ଼ ଜଙ୍ଗଲ

ଭଙ୍ଗା ଦର୍ପଣ କାଚର ଗଦା ପାହାଡ଼ରେ

ମୁଖ ଦେଖିବାର ଯେଉଁ ବିକଳ ରୋଦନ

ଉଲଗ୍ନ ଆକାଶ ତଳେ

ମନ କୋଠରୀକୁ ଖୋଲାକରି

ସ୍ମୃତି ଫିଙ୍ଗି ଦେବା ଯାହା ଏକ ବୃଥା ଆସ୍ଫାଳନ ।।

ହେ ବେତାଳ !

କାପାଳିକ ତୁମକୁ ମୁଁ କାନ୍ଧେ ବୋହି ନେବି

ଅନେକ ପ୍ରଶ୍ନ ଉତ୍ତର ଶେଷଟି ଓ

ଦେଇ ମୁଁ ସାରିଛି

ମଡ଼ାର ବୁକେ ବସିଛି–ତୁମକୁ ମୁଁ

ତା ଅଙ୍ଗେ ବରିଛି

ଦେଖିଛି ମୁଁ–ମଡା ମୁଖେ ହସ

କାପାଳିକ ମନେ ପଡ଼େ ଭାଗବତ

ଏହା ଭଣେ ଜଗନ୍ନାଥ ଦାସ

ଅସହାୟ, ନିଜ ହାତେ ଯାହା ମୁଁ ଗଢ଼ିଛି

ତାହା ମାତ୍ର ମୃତ୍ୟୁର ପ୍ରକାଶ ।।

ମେଲା ଝରକାରେ ପଶେ

ଘସି ହୁଏ–ଚିହ୍ନା ବିଲେଇଟି ପରି

ହଳଦିଆ ଖରା

ଉତ୍ତୀର୍ଣ୍ଣ ବୟସ୍କା ସହେ ବୟସ କଷଣ–

ଦର୍ପଣରେ ଦେଖେ ମୁଖେ ଦାଗର ପସରା

ସଜ ଫୁଲ ବାସିବାସି ଲାଗେ

ଜଳିଉଠେ ସ୍ମୃତିର ବଖରା

ନିଜେ ପୁଣି ମନେ ରଖେ ଘଟିଥିବା

ଜୀବନରେ ପ୍ରତି ଦୁର୍ଘଟଣା–

କିଏ ଜାଣେ–ଅକସ୍ମାତ୍

ସେମାନେ ଆସିପାରନ୍ତି

ଚନ୍ଦ୍ରସୂର୍ଯ୍ୟ ସାକ୍ଷୀ ରଖି

ହୋଇପାରେ ଗୋଟି ଗୋଟି ଜେରା ।।

ଅବୋଲକରା ହୋ ଶୁଣ ଟିକି ଟିକି ଦୁର୍ଘଟଣା

ଯାହା ଘଟେ ଜୀବନରେ

ବଡ଼ ତାହା, ଶତାଶା ଓ ଆତ୍ମହତ୍ୟାଠାରୁ

ତାହା ଅତିବଡ଼

ଯାହା ଅଚାନକ ପୁଣି ଜୀବନରେ

ଆଣିପାରେ ମୌସୁମୀ ବା ଝଡ଼ ।।

ଅବୋଲକରା ହୋ

କୁନି ଝିଅ ଅଲରା ବାଳ ବି ହୁଏ

ଘନ କେଶ ଓ ଚୂର୍ଣ୍ଣ କୁନ୍ତଳ

ଭଲ ପାଇବାଟା ହୁଏ କେବେ ନାଗ ସାପ

ମମତା ଗରଳ ।।

ଅବୋଲକରା ହୋ

ଠିକଣା ଜାଣିନଥିବା ଝିଅ ଯେବେ

ବସ ଘେନିଯାଏ–

ଯାହା ଏକ ବିଶୁଦ୍ଧ ଅଜଣା

ସେ ଭଲ ପାଇବା ଆଣେ

କଡ଼ାଗଣ୍ଡା ହିସାବେ ଯନ୍ତ୍ରଣା

ଏକ ମୁକ୍ତ ତଫାୟତ

ନୀରବ ଭାଷାରେ ପୁଣି ଲେଖା ହୁଏ

ବିଜନ ସଙ୍ଗୀତ ।।

Image

 

ଶୀତ ବେଶ୍ୟାପଲ୍ଲୀ ଓ ସଂଧ୍ୟା

 

ଯନ୍ତ୍ରଣାର ଗୋଧୂଳି ଏ

ବ୍ରୋଞ୍ଜପରି ଶରତ ଗୋଧୂଳି

ଅଧାଛାଇ ଆଲୁଅର ଗଳିରେ ଗଳିରେ

ବିପଦର ପାଦଧ୍ୱନୀ ଏବଂ

ପାଶବିକ ନୃତ୍ୟ ।

ଏମାନେ ପିନ୍ଧାନ୍ତି ତାକୁ

ନାରୀ ପାଶେ (ଯିବାଆଗୁ) ଭୀରୁର ପୋଷାକ ।।

ବ୍ରୋଞ୍ଜ ବର୍ଣ୍ଣ ଏ ରାତିରେ

ଅଧା ଆଲୁଅର ଗଳି, ସାମୟିକ ଚାହାଣିରେ

ହୁଏ ଛଟ ପଟ

ସିଏ କିନ୍ତୁ ଝାଳେ ଓଦା ହୁଏ

ପ୍ରତି ପଦେ ବିପଦ କୁହାଟ

ଯଦିସେ ଖୋଜି ପାଇବ ଶକ୍ତିର ଇସାରା

ମାନିବନି, ମାନିବନି, ସବୁ ହେବ

ଶକ୍ତିର ନିକଟ ।।

କାମନାର ଅନେକ ଶେଯେ ଇସାରା

ଗୋଟିଏ ସନ୍ଧ୍ୟାର

ଅଧା ଅନ୍ଧାରରେ ପୁଣି ଅନେକ ଚାହାଣି

ପତ୍ରର ମର୍ମର ।

ପାଣି ଆଉ ରକ୍ତର ଜୁଆର ।।

ଓଃ... ଯନ୍ତ୍ରଣାର ବିବର୍ଣ୍ଣ ଧୂସର ରାତ୍ରିମାନେ

କୋଠରୀରେ ଭରି ଦିଅ ସୁନାର ପବନ ।

ଅତିଥଣ୍ଡା ନିଃଶ୍ୱାସ ପବନ

ପାଶବିକ ପ୍ରମତ୍ତ ସୁଖରେ ରତ

ଏ ସନ୍ଧ୍ୟାର ଚିତ୍ରିତ ଆକାଶ ଛୁଇଁ

ସିଏ ଓ ପ୍ରେମିକା–

ଶୀତାର୍ତ୍ତ ଏ ପରିବେଶ

ଦାନ୍ତରେ ଦାନ୍ତରେ ପୁଣି ଉଷ୍ମତାର ଆବାହନ

ମୁଗ୍‌ଧ ସ୍ୱାଗତିକା ।।

ବିଶ୍ୱାସ ଘାତକ ସିଏ, ସ୍ୱାଭାବିକ–

ସୃଷ୍ଟି ଏକ ସେ ଉପାଦାନର

ବ୍ରୋଞ୍ଜପରି ଘନୀଭୂତ, ଏ ରାତ୍ରିର ଅଧା ଅନ୍ଧାରର

ଗଳିରେ ଗଳିରେ

ସିଏ ଚାଲିଯାଏ–ଦୋଷମୁକ୍ତ ହୁଏ

ତୁଳାପରି ଦୋଷ ଉଡ଼ିଯାଏ ।।

କିନ୍ତୁ ସତ ଲୁଚେ ଏ ଗଳିରେ

ଏ ଶେଯରେ ଅନେକ ଦେହର ଗନ୍ଧ

ଏ ମନରେ ଅନେକ ସ୍ମୃତିର ଦାଗ

ଏ ଜାରଜ ସାମ୍ରାଜ୍ୟରେ ମଣିଷର ସ୍ଥିତି

ଭଦ୍ରତାର ଅନ୍ତରାଳେ

ନିତିହୁଏ ଯନ୍ତ୍ରଣାର ସ୍ତୁତି ।।

Image

 

ଉପହାର

 

ତୁମ କଣ୍ଠେ ସ୍ନେହ ପ୍ରେମ ମମତାର ଧାରା

ବିକ୍ଷୁବ୍‌ଧ କଲ୍ଲୋଳ,

ମଥା ପିଟେ ଦାବି କରେ,

ଏ ଜୀବନ ସାଗର ଉପାନ୍ତେ

ଲେଖେ ପୁଣି ବଞ୍ଚିବାର

ନବ ଇସ୍ତାହାର ।।

ରାଜହଂସୀ ସାଥି ତବ ଆଣି ଦେଉ,

ଅଗଣତି ସୁନୀଳ ସାଗର ଢେଉ

ଭାଙ୍ଗି ଭାଙ୍ଗି ଥଣ୍ଟେ ତାର ସପନର ଚିଠି

ବିଚିତ୍ର ଛାଉଣୀ ତଳେ ଚିତ୍ରିତ ସରଣୀ

ତମ ଜୀବନର ଏକ ନୂତନ ସମଷ୍ଟି ।।

 

ଉପହାର ତୁମକୁ ହେ ବନ୍ଧୁ, ମୋ ମନ ସରସୀ ଜଳୁ

ନୀଳକଇଁ ଏକ, ଦରିଦ୍ର ସମ୍ବଳ

ଯାହାକୁ ଫୁଟାଏ ଅନେକ ସପନ ସାଥେ

ଜୀବନ୍ୟାସ ଦିଏ ଅଶ୍ରୁ ଆଉ ସପନ କଜଳ ।।

ସାଧନାର ଧୂର୍ଜଟି ହେ ପ୍ରିୟ

କଣ୍ଠୁ ଝରୁ ପୀରତି ମହ୍ଲାର

କ୍ଷମା କି ଦେବ ନି ? ମୋ ପ୍ରାଣରେ ସୃଷ୍ଟିକରି,

ବଞ୍ଚିବାର କମ୍ର ଆଉ ସବୁଜ ପ୍ରାନ୍ତର ।

Image

 

ତିନୋଟି କବିତା

 

ସେନାପତି କନ୍ୟା କଥା

ଏଇ ମୋ ଫୁଲ ବଗିଚା

ସୁନା ତାରେ ଘେରା ଯାର ବାଡ଼

ଏଇ ମୋ ସୁନାର ଦେହ

ସେନାପତି ପିତା ମୋର

ପ୍ରାସାଦ ମୋ ଉପାନ୍ତରେ

ରାଜାର ନଅର ।।

ଏଇ ମୋ ଫୁଲ ବଗିଚା

ମୋ ଛାତିର ରକ୍ତେ ଯତ୍ନେ ଯାର

କଟୁଆଳ ଜଗିଅଛି

ବିଚାର ପୂର୍ବରୁ ଅନୁପ୍ରବେଶକାରୀର

ଶିର କମଳ ଲୋଟିବ ଧରଣୀ ଉପର ।।

ଏ ଫୁଲ ବଗିଚା ମୋର ଏକ ଦିନ ପାଇଁ,

ଲୋଡ଼ା ମୋର ଏକ ଫୁଲମାଳ

ଧୂଳି ଖେଳ ସତ୍ୟ ମୋ ଜୀବନେ–

ଲୋଡ଼ା ମୋର ରାଜ ପୁତ୍ର କୋଳ ।।

ଏ ଫୁଲ ବଗିଚା ମୋର ଜୀବର ଜୀବନ

ଏ ବଗିଚା ମୋ ପ୍ରାଣର ଶୀତଳ ଚନ୍ଦନ ।।

ରାଜପୁତ୍ର ଉବାଚ

ରାଜ ପୁତ୍ର ଧୂଳି ଖେଳେ–ସବୁ ଏକ

ବାଳୁତ ଖିଆଲ,

ସତ୍ୟ ଭାବିଲ କି ତୁମେ

ସେନାପତି କନ୍ୟା...?

କରିଅଛ ମସ୍ତ ଏକ ଭୁଲ ।।

ରାଜା ପୁଅ ପ୍ରତିଦାନ ଦିଏ

ଫୁଲମାଳ ବିନିମୟେ ରତ୍ନ ଏକ ହାର

ସେନାପତି କନ୍ୟା ପକ୍ଷେ ହୁଏତ ତା ବଡ଼

ମନେ ରଖ ମୁଁ ରାଜ କୁମର ।।

ଏ ରାଜବଂଶର ଦାନ ମଣି ମୁକ୍ତା

ବୈଦୁର୍ଯ୍ୟ ପୋହଳା–

ତୁମ ସ୍ମୃତି ପୋଡ଼ିଯାଉ

ମୁଁ ହେବି ବିକ୍ରୟ ପଣ୍ୟ

ଗରାଖ ସେ କେଉଁ ରାଜବାଳା ।।

ଭୁଲି ଯାଅ ସେନାପତି କନ୍ୟା

ପୋଡ଼ିଯାଉ ତୁମର ବଗିଚା,

ପୋଡ଼ିଯାଉ ଫୁଲ ହୋଇ ଫୁଟିଥିବା

ତୁମ ଯେତେ ଇଚ୍ଛା ।।

ପଦାଘାତ ମୋର–

କ୍ଷଣିକ ସତ୍ୟ ଖେଳର

ସାଜିଥିବା କନିଆଁ ଓ ବର ।।

ମନେରଖ ମୁଁ ରାଜ କୁମର

ତୁମ କାମନାର କମଳରେ

ଶତ ଶତ ପଦାଘାତ ମୋର ।।

କାମନା

ପ୍ରାର୍ଥନା ହେ ବେଦବର

ମୋର ଏକ ବର ଲୋଡ଼ା,

ଚାରିମୁଖେ କୁହ–

ଦେବାକୁ ଚାହିଁଲେ,

ସେନାପତି କନ୍ୟା-ପ୍ରେମ, ମମତା ସୋହାଗ

ରାଜପୁତ୍ର ଯେପରି ନଭୁଲେ ।।

Image

 

ଏକଦାଙ୍କ ସାମ୍ରାଜ୍ୟ ବର୍ଣ୍ଣନ

 

ବୋଉ ମନା କରୁଥିଲା,

କାଳନ୍ଦୀକୁ ନଯିବୁ କହ୍ନାଇ,

ପାଶୋରିଲି କାଳନ୍ଦୀ ହେ !

ତୁମ ଅନୁରାଗେ

ଆସିଅଛି ସେ ବନ୍ଧନ ଫେଇ ।।

କହିଥିଲା କଳା ଭଅଁର ସେ ପାଣି

ପାଦ ଦେବୁ ନାଇଁରେ କହ୍ନାଇ

କିପରି ଭୁଲିଲି ମନା

କାଳନ୍ଦୀ ହେ ଆସିଲି ମୁଁ ଧାଇଁ ।।

ବୋଉ ମନାକଲା କାହ୍ନୁ, ନଚାହିଁବୁ କଦମ୍ବ ବନକୁ

କଦମ୍ବ ମୋ ପ୍ରାଣାଧିକ ପ୍ରାଣ,

କଥା ତାର ଆଣିନି ମନକୁ ।।

ନ କରିବି ଜଳ କ୍ରୀଡ଼ା

ଆଜି କିନ୍ତୁ ନାଚୁଛି ତୋ ଜଳେ

ବୋଉ ମନା କରିଥିଲା–

କଂସ ଚିଟାଉ ପଢ଼ିବା ଯୋଗୁଁ

ଶତ ଭାର କମଳ ମୁଁ ତୋଳେ ।।

ହେ କାଳନ୍ଦୀ ଅନୁରାଗ ନ ଘେନିଲ

କାଳୀୟ ଯା କରିଲା ଦଂଶନ

ପୂର୍ଣ୍ଣ ହେଉ କାମନା ତୁମର

ଯଶ ପାଉ ବିଚାରିବା ମନ ।।

କାଳୀୟର ଜୟ ହେଉ

ଅନୁରାଗେ ସହୁଛି ମୁଁ ତାହାର ଦଂଶନ

କହ୍ନେଇର ଚେତା ନ ଭାଙ୍ଗିବ

ନ ହୋଇବ କାଳୀୟ ଦଳନ

ବିଷେ ମୋହ ଯାଇ କାମନା ମୋ କହ୍ନେଇ ମରଣ ।।

ବିବର୍ଣ୍ଣ ହେବାରେ ଯଦି ସୁଖ ଥାଏ ତହିଁକି ମୋ ମନ

ବିବର୍ଣ୍ଣ ହେଉ ମୋ ପାଇଁ ମୋ ଦୋଳ ମୁକୁଟ,

ଅବା ଚନ୍ଦନର ବନ ।।

Image

 

ବିତର୍କିତ ଜ୍ଞାନ ଯୋଗ

 

ଉଦ୍ଧବ ହେ ଶୁଣ, ଗୋପ୍ୟ ବୃନ୍ଦାବନ

ଯେତେକ କୁମାରୀ

ଗୋପୀ ଏ ସଂସାରେ, ବୃନ୍ଦାବନ–ଅଛପା ଯୌବନ ।।

କୁମାରୀ ଦେହେ ଲାଗିଲେ ବସନ୍ତ ବା ହୋଲିଖେଳ ଯାତ

କହ୍ନେଇ ମୁଁ ଚୋରା ପୀରତୀର

କାମନାର ଆକାଶରେ ସେମାନେତ ପତାକା ଉଡ଼ାନ୍ତି

ସଂସାରର ଅପବାଦ, ଝିଅମାନେ ପ୍ରେମେ ପଡ଼ିଛନ୍ତି ।।

କୁଆଁରୀଏ ନିଜେ ଗୋପ୍ୟ ଗଙ୍ଗା

ପାଣିପଙ୍କ ଗଭୀରତା ବା ଦୀର୍ଘତା ସବୁ ଅଗୋଚର

ସରହଦ ପାରିବକି ଛୁଇଁ

ତୁମ ମନ ଏକ ହୁଲିଡଙ୍ଗା ।।

ମହୋଲ୍ଲାସ କର

ଅସମ୍ଭବ ସମ୍ଭବଇ କଳ୍ପନା ବାହାର ।।

ସେ ଗୋପ୍ୟ ଗଙ୍ଗା ରକ୍ଷକ ଧୀବର ଧୀବରୀ

ବକ୍ରତୁଣ୍ଡ ବକ୍ରତୁଣ୍ଡୀ, ତରଙ୍ଗରେ ମର୍ତ୍ତ,

ସତତଃ ଜାଗ୍ରତ,

ଭସ୍ମର ଆବର୍ତ୍ତ ।।

ମନ୍ଦର ପର୍ବତେ, ଶିରାଳ ଶିରାଳ

ଘେରିଛନ୍ତି ହୋଇ ମାଳ ମାଳ

ନ ଲୋଡ଼ନ୍ତି ସାଗର ସଙ୍ଗମ

ଗୋପନଗ୍ରେ ତାଙ୍କ ଲୀଳାଖେଳ ।।

ଏ ପୁରକୁ ଅନେକ କବାଟ

କିପରି ଯିବା ଉଦ୍ଧବ ଭୁଲିଛି ମୁଁ ବାଟ ।

ଅନେକ ଆଲୋକ କେବେ ଅନ୍ଧାରକୁ ନପାରେ ବିନାଶି

ଦୀପ ଅବା ଦିନର ଆଲୋକ

ଗାଢ଼ ହୁଏ ମନର ଅନ୍ଧାର

ଝିକିମିକି ସ୍ମୃତି ଯାଏ ଦିଶି ।।

ଏମାନେ ସମ୍ପୂର୍ଣ୍ଣ ନଗ୍ର–

ଦ୍ୱାରରେ ତୋରଣ ବାନ୍ଧି ଛୁରିଅନା, ଅଁଳା ଓ ନାଗେଶ୍ୱର ମାଳେ

ଛୁଅଁନା ଛୁଅଁନା ବୋଲି ଲୁଚୁକାଳି ଖେଳି

ଅଜାଣତେ ଯାଆନ୍ତି ମଉଳି ।।

ରୂପଝରେ ରାଧା ପ୍ରେମେ ହୋଇ ନିଉଛାଳି

କି ଲୋଡ଼ା ସେ ବାସି ଦେହଟାରେ

ଏ ନଗର ହୁଏ ହତାଦର

ମଥୁରାକୁ କାହ୍ନୁଯାଏ ଚାଲି

ଗୋପଙ୍ଗନା ଛଳ ପ୍ରେମ ଭୁଲି ।।

ତୁମେ ସତ୍ୟ, ସେମାନେ ସେବତୀ

ବୟସ ଉଜୁଡ଼ିଗଲେ ତାଳପତ୍ର ଜାତକକୁ

ଚୁଲିରେ ମୁହାଁନ୍ତି ।।

ଗୋପନଗ୍ର ଗୋପ୍ୟ ଗଙ୍ଗା କଦମ୍ବ କାନନ

ଶିହରି ଉଠନ୍ତି, ଯୌବନ ଓ ଜରା ବ୍ୟବଧାନ ।।

ସବୁମିଥ୍ୟା ଗୋପନଗ୍ର, ଗୋପ୍ୟଗଙ୍ଗା ଗୁପ୍ତ ବୃନ୍ଦାବନ

ସୁର ବା ତୁଳସୀ ଦାସ ଅବା ମୀରାବାଇ

ଦଗ୍‌ଧମନ ବୀଣାତାନେ ଯନ୍ତ୍ରଣାର ସ୍ୱର

କାଳେ କାଳେ ଯାଇଛନ୍ତି ଗାଇ ।।

Image

 

ଶୃଙ୍ଗାର ତିଳକ

 

କିପରି କହିବା କୁହ ସଜନୀରେ

ଏ ରାତ୍ରରେ ତାରା ଉଏଁ ବୋଲି

କିପରି କହିବା କୁହ ସଜନୀରେ

ଏ ରାତ୍ରରେ ଚନ୍ଦ୍ର ଖେଳେ ଦୋଳି ।।

ସୁନାର ନାଆରେ ଚଢ଼ି ଏ ରାତ୍ରିରେ

ସାଗର ବୁକୁରେ–

ରୂପାର ଆହୁଲା ନେଇ ସପନ ଧନରେ

ବେପାର ମୁଁ ଆରମ୍ଭିଲା ବେଳେ,

ଅଫିମ ଫୁଲ ନିଶାରେ ଢଳି ଢଳି-

ମତୁଆଲା ଧକାଦିଏ ନିଶୀଥେ ପବନ

ଜହ୍ନର ରାତ୍ରିରେ କିବା ଦେଖୁଛି ମୁଁ

ଜାଗ୍ରତ ସ୍ୱପନ ।।

ଏଇ ମୁଁ ଦେଖୁଛି ଦୂରେ, କେଉଁ ମତ୍ସ୍ୟ-କନ୍ୟା

ହୁଲିଡଙ୍ଗା ନେଇ ତାର କାଠର ଆହୁଲା

ଆରମ୍ଭିଛି ମୁକ୍ତ ଏ ଆକାଶ ତଳେ

ନିସଂକୋଚ ତାର ରାସଲୀଳା ।।

ସୁନା ନାଆ କାଠ ନାଆ ବାରି ମୁଁ ନପାରେ

ରାଜଜେମା ହାତୀଦାନ୍ତ ଚିରୁଣୀରେ

କେଶ ବିନ୍ୟାସିବା–

ମତ୍ସ୍ୟ କନ୍ୟା ଉପହାସ କରେ ।।

ମନେ ହୁଏ କହିଲା ସେ ତୁମ ରାଜଜେମା କେବେ

ଉଲଗ୍ନ ଦେହରେ–

ତୁମ ଆଗେ ହୋଇଛି କି ଠିଆ ?

ପବନର ତାଳେ ତାଳେ ନାଚି

ବାହିକି ପାରିବ ତାର ସୁବର୍ଣ୍ଣର ନାଆ ।।

ଜଳେ ପଡ଼େ ପ୍ରତିବିମ୍ବ

ଦର୍ପଣରେ ମୁଖକୁ ଦେଖିବା

ଅନ୍ଧ ଦେଖେ ଅନ୍ଧାରରେ ମୁହଁ

ତଫାୟତ କିପରି ଜାଣିବା ?

ଇଚ୍ଛା ହେଲା ସେ ହୁଲି ଡଙ୍ଗାରେ ମୋର

ସୁନାର ନଉକା–

ପିଟି ହୋଇ ହୁଅନ୍ତାକି ଚୂରି

ସୁନା ଆଉ କାଠର ଫରକ

ପାଣିପରେ ଗାର ଦେଲା ପରି ।।

ରୂପାର ଆହୁଲା ମୋର ହାତୁ ଖସିଯାଏ

ଜଳେ ବୁଡ଼େ ମୂକ ସାକ୍ଷୀ ତାର

ମତ୍ସ୍ୟ-କନ୍ୟା ଫିଙ୍ଗିଦେଲା କାଠର ଆହୁଲା

ଏ ସାଗର ବୁକେ

ମୋ ମନର ଅଗଣତି ପ୍ରଶ୍ନ ପାଇଁ

ତାହା ମାତ୍ର ଏକଇ ଉତ୍ତର ।।

ଆତୁର କଣ୍ଠେ କହିଲି ରକ୍ଷାକର, ରକ୍ଷାକର ବାମା

ସେ କହିଲା ମୁଁ ନୁହଇ ତୁମ ରାଜଜେମା

ଚାହୁଁନାଇଁ ହେବାପାଇଁ

କାଚର ଆଇନା ।।

କାଠର ଆହୁଲା ତାର ଜଳେ ଭାସି ଭାସି

ଫେରି ଯାଏ ତା ନିକଟେ

ସୁବର୍ଣ୍ଣର ନାଆ ମୋର ଥିର

ଶେଷକଥା ସେ କହିଲା

ତା ନାଆରେ ପାଦ ଦେଲେ, ରକ୍ଷିକା ସେ

ଦେଖାଇବ ନିଷିଦ୍ଧ ସହର ।।

ମୁଁ ଦେଖୁଛି ରାଜଜେମା ସୁବର୍ଣ୍ଣର ଦେହ

ଝଲମଲ ସୁଝୀନ ଉତ୍ତରୀ

ତା ସୁଠାମ ଉରଜରେ ଚନ୍ଦନ ଲେପୁଛି

ପାରସ୍ୟ ଦେଶୁ ଆଗତ

ଧ୍ୱଜଭଗ୍ନ ପୁରୁଷର ପରି ।।

କୁମାରୀ କାମନା ତାର ସୃଷ୍ଟି ପାଇଁ ବର୍ଷା ଆମନ୍ତ୍ରଣ

କିପରି ସାଜିବି କୁହ କଳାମେଘ

ଝଡ଼ ତାଳେ ତାଳେ

ବିନାଶିବି ତା ସୁରମ୍ୟ ବନ ଉପବନ ।।

ନିଷିଦ୍ଧ ରାଗଶେଷ ମୁଁ

ଭାଗଫଳେ ଭାଜକକୁ ଗୁଣି

ମିଶି ପାଏ ମୋର ରାଜଜେମା

ଦର୍ପଣରେ ତାର ପ୍ରତିବିମ୍ବ

ଅନୁଢ଼ାଏ ମତୁଆଲା ଯୌବନେ ଉନ୍ମତା

ମତ୍ସ୍ୟ-କନ୍ୟା କିଶୋରୀର ଅମାପ ଗାରିମା ।।

ମନେପଡ଼େ ଏହାସବୁ ମିଥ୍ୟା, ବସନ୍ତି କି–

ମହାନଦୀ କୂଳେ

ମନେ ପଡ଼େ କୁମାରୀ ନୀନା ମହାନ୍ତି

କେଉଁ ଏକ ସ୍ମୃତିର ଚିଠିରେ ।।

ନିଅ ପ୍ରଭୁ ଅସତ୍ୟରୁ ସତ୍ୟର ସହରେ

ଆତ୍ମାମୋର ପାଉ ଅମୃତତ୍ୱ

ବହୁତ ଶୁଣିଛି ନୀନା ଦର୍ଶନ ତୁମର

ଆଉ ପୁଣି ବଞ୍ଚିବା ମରିବା

ଭଲ ପାଇବାର କେତେ ତତ୍ୱ ।।

ଜଗନ୍ନାଥ ତୁମେ ରକ୍ଷାକର

ତୁମ ନୀଳ ଚକ୍ର ଯଶ ସଂସାରେ ବିଦିତ

ଉଡ଼େ ଫର ଫର–

ଦେଖିବାକୁ ଚାହେଁ ପ୍ରଭୁ

ଏ ଜୀବନ ଅନ୍ତେ, ତୁମରାଜ୍ୟ

ଶ୍ରୀ ନୀଳ କନ୍ଦର ।।

ଏ ସଂସାରେ ଯେତେ ପ୍ରଶ୍ନ

ସବୁପରା କଣ୍ଠ ଉଦ୍ଧବର

ଆମେ ସବୁ ଯେତେ ଜୀବ–କୁହ ନୀନା

ତୁମ ଆଉ ମୋ ସଂଳାପ

ହେଉ ଯେହ୍ନେ କୃଷ୍ଣ ଓ ଉଦ୍ଧବ

ପରମାତ୍ମା ନୁହଇ ଗୋଚର

ମିଛ ଏକା ସତ ଏ ସଂସାରେ

ଏ ଅଟଇ ଅସତ୍ୟ ସହର ।।

ଅସତ୍ୟ ସହରେ ତେବେ ରାଜଜେମା

ନଉକା କ୍ଷଣିକ–ମତ୍ସ୍ୟ–କନ୍ୟା ଉଲଗ୍ନ ଦେହରେ

ଶତ ଶତ ସ୍ମୃତିସ୍ତମ୍ଭ ଅଗଣତି ଶିଳା ଅଭିଲେଖ ।।

ନିହାତି ଉଚିତ ହେବ ଆଗିଲା ଦିନର ପାଇଁ

ତା ବୁକୁରେ ନାମ ଲେଖି ଦେବା–

ଆଗାମୀ ଲୋକେ ବୁଝିବେ–ଏ ଶ୍ୟାମଳୀ ଦ୍ୱୀପ

ଆବିଷ୍କାର କଲା ଏକ ଯୁବା ।।

ଆତୁର କଣ୍ଠେ କହିଲି ମତ୍ସ୍ୟ-କନ୍ୟା ତୁମ ସରହଦେ

ମୋତେ ଏକ ଯାଯାବର କର,

ଆବଶ୍ୟକ ମହାରଜା ଅରାଜକ ହୋଇଛି ଏ ଦେଶ

ସୁଯୋଗ୍ୟ ରାଜକୁମର

ଲୋଡ଼ା ଏକ ଉତ୍ତର ତାହାର ।।

ମତ୍ସ୍ୟ-କନ୍ୟା କିଛି ନକହୁଛି ହଜିଛି କି

ବିଭୁତି ଯୋଗରେ

ରୁହରେ ମଳୟ ଆଉ ନକରି ଅଧୀର

କରାଘାତ କରବାରେ ତା ମନର ଦ୍ୱାରେ ।।

କୁହ ହେ ସୁବର୍ଣ୍ଣ ନାଆ ବହିଛ ତ ପୋହଳା ମାଣିକ

ରାଜଜେମା ସୁନା ଦେହ ଯାହା ମୋର ଜାଣିବା ଉଚିତ

ଅଜଣା ମୁଁ ଜାଣିବାର ଛଳନାରେ ଯାହା

ସାଜିଛି ବଣିକ ।।

କୁହ ହେ ସାଗର ଢେଉ, କାହିଁ ବାହି ନେବ ମୋର ନାଆ

ପୋହଳା ଦ୍ୱୀପକୁ

ମତ୍ସ୍ୟ-କନ୍ୟା ନିଷିଦ୍ଧ ସହର, ବିଦ୍ରୁମ ପ୍ରାଚୀରେ ଘେରା

ସୁବର୍ଣ୍ଣର ନାଆ ହୁଲିଡଙ୍ଗା

ହୋଇ ଲାଗୁ ତାହାର କୂଳକୁ ।।

ଅନ୍ଧାରରେ ଦିବ୍ୟଜ୍ଞାନ ଲାଭ ହୁଏ

ଅନ୍ଧାରକୁ ଶତ ନମସ୍କାର

ହେ ଅନ୍ଧାର ! ରାଜଜେମା ମତ୍ସ୍ୟ-କନ୍ୟା

ସୁନା ନାଆ ହୁଲିଡଙ୍ଗା

ମୋତେ ଆଉ ରତିଜର୍ଜ୍ଜରିତ

ନାଗରକୁ କରିପାର ତୁମେ ଏକାକାର ।।

ମନରେ ଆସଇ ଏହା ଶୁଣାନ୍ତିକି

ନୀନାକୁ ମୁଁ ଥରେ

ପାଗଳୀ ଦିଅନ୍ତା ପିଇ ଅବୁଝା ଆଖିରେ

ଆଉ, ମୋର ଏ କବିତା

ଗାଆନ୍ତା ମୁକୁଳା କଣ୍ଠେ ଠାକୁର ପୂଜାରେ ।।

ହୁଲିଡଙ୍ଗା ନାଚୁଛି ଛଇରେ

ମତ୍ସ୍ୟ-କନ୍ୟା ହୋଇଛି ଉଭାନ

ତା ଆହୁଲା ଛୁଏଁ ମଙ୍ଗ ସୁବର୍ଣ୍ଣ ନାଆର

ରାଜଜେମା ହୁଏତ ଅସତ୍ୟ

ସାଗର ଢେଉରେ–

ତା ନାଆରେ ବସିଛି ମୁଁ ଥିର ।।

Image

 

ପ୍ରତିପକ୍ଷ

 

ନିଦ୍ରା ଭାଙ୍ଗେ, ସାଧବାଣୀ ଗବାକ୍ଷକୁ ଖୋଲେ

ପବନ ଖେଳୁଛି ଖେଳ ପୁଷ୍ପିତା ଏ

ଧରଣୀ ବୁକୁରେ–

କେତେ ଦୂରେ ଯାଇଥିବ ସାଧବ ବୋଇତ

ସାଗର ବୁକୁରେ ?

ଆକାଶେ ହସୁଛି ପୁଣି ପାହାନ୍ତିର ଚନ୍ଦ୍ର

କେଉଁ ଏକ ବିଅର୍ଥ ସ୍ୱପ୍ନରେ ।।

ହେମନ୍ତ ଆସିଛି ଆଜି ଧରଣୀର ପୁଷ୍ପିତ ତନୁରେ

ବିରହିଣୀ ନାୟିକାର ଉରଜ ଯୁଗଳେ

ଶ୍ରାବନ୍ତୀ ନାୟିକାର ବା ସୁନୀଳ ଭୂରୁରେ

ପୁଣି, କାମନାର ଗୋଧୂଳି କମଳେ ।।

ଧରାରେ ଲାଗିଛି ଆଜି ସୁବର୍ଣ୍ଣର ହାଟ

କୃଷକ ଫିଟାଏ ଆଜି

ଅଗଣତି ମନର କବାଟ–

ଏ ରଙ୍ଗେ ସଜାଇ ହେଲା ଶ୍ୟାମମୟ ଶସ୍ୟ

ଧରାର ବୁକୁରେ ଆଜି ହେମନ୍ତ ରାହାସ ।।

ଶିଶିର ଦେଇଛି ବାର୍ତ୍ତା ପଦ୍ମବନ ରାଜ୍ୟେ–

ହେମନ୍ତ ହାତରେ

କରିବ ସେ ପଦ୍ମବନ ଧ୍ୱଂସ ।

ପଦ୍ମ ପ୍ରତି ପାଖୁଡ଼ାରେ ବାର୍ତ୍ତା ପ୍ରଚାରଇ

ହେମନ୍ତ ରାହାସ ।।

ହେମନ୍ତ କହଇ ପୁଣି ନିର୍ଜ୍ଜନ ରାତ୍ରିରେ

କେଉଁ ଏକ ଏକାକିନୀ କୁମାରୀ କାନରେ

ନିସଙ୍ଗତା ପୂର୍ଣ୍ଣ ହେଉ, ନିସଙ୍ଗତା ତୋର ପୂର୍ଣ୍ଣ ହେଉ ।

ଉତ୍ତରୁ ଆସିବ ଶୀତ–

ଏକାକିନୀ ଅଙ୍ଗରେ ଅଙ୍ଗରେ

ସେ ଯନ୍ତ୍ରଣା ତୋର ଦୂରେ ଯାଉ ।।

ଆକାଶ ସଜାଏ ସୁଖେ ବକମାଳା

ଧବଳ ପୁଷ୍ପର

ହେ ପୁଷ୍ପିତା ଧରଣୀ ଗୋ ଆୟୁଷ୍ମତୀ ହୁଅ

ତୁମ୍ଭ ବୁକେ ସୃଜନୀ ସମ୍ଭାର ।

ମଙ୍ଗଳମୟୀ ଗୋ ଘେନ ତୁମ୍ଭ ପାଇଁ

ସାମାନ୍ୟ ଏ ମୋର ଉପହାର ।।

ଉରଜକ୍ଷତ ନାରୀଏ ଚିକୁରେ ଲପନ

ପଞ୍ଚମ ବନ୍ଧେ ଜର୍ଜର କରଇ ଦର୍ଶନ

ପଦ୍ମର ପାଖୁଡ଼ା ଯାଏ ରଙ୍ଗ ହାରି ମରି

ତା ପଦ୍ମ ନେତ୍ରରେ କିନ୍ତୁ ଖେଳେ ରଙ୍ଗ ହୋରି

ତା ଅଙ୍ଗେ ଲହରୀ ଖେଳେ

ସଦ୍ୟ ତ୍ସ୍ନାତା, କାମନାର ରସ

ଧରାରେ ଲାଗିଛି ଆଜି ହେମନ୍ତ ରାହାସ ।।

ଉତ୍ତମ ବେଭାର କଲ ତୁମେ ହେ ହେମନ୍ତ

ଧରାରେ ଜଗାଇ ଦେଲ ଅପୂର୍ବ ଚମକ

ଶ୍ୟାମ ଶସ୍ପେ ଖେଳାଇଲ ସୁବର୍ଣ୍ଣର ଢେଉ

ଜୟ ହେଉ ହେମନ୍ତ ହେ ତୁମ୍ଭ ଜୟ ହେଉ ।

କିବା ଦୋଷ କରିଥିଲା କୁହ ଭାଙ୍ଗିଦେଲ–

କମଳିନୀ ଦାଉ ।।

ନାରୀଏ ତ୍ୟାଗ କରନ୍ତି ସ୍ୱର୍ଣ୍ଣ ଆଭରଣ

ନାରୀଏ ଇଚ୍ଛା କରନ୍ତି ସୁସଙ୍ଗ ରମଣ ।।

ଅହଂକାରୀ ନାରୀ ଏକ ଏପରି କାମନା

ଦର୍ପ ଭାଙ୍ଗିଥିଲେ କୃଷ୍ଣ

ତା ମନରେ ଅଶେଷ ଯାତନା–

ଶସ୍ପାୟିତ ଧରଣୀର କୁହୁଳା ବୁକୁରେ

କରିଥିଲା ଅଭିସାର ଥରେ

‘‘ହେମନ୍ତ ରାସ ରଚ ହେ ନଟବର କୃଷ୍ଣ !

ମୋ ଉଷ୍ଣ ବୁକୁରେ’’ ।।

ଆସିଛି ହେମନ୍ତ

ଅଧରରେ ପ୍ରଶାନ୍ତିର ହସ

ରଙ୍ଗ କେତେ ବଦଳିଛି ଧରଣୀ ବୁକୁରେ

ସେ କିନ୍ତୁ ମଗନ ଏକ ବିଭୂତି ଯୋଗରେ

ଧରଣୀରେ ଅକଳନ୍ତି ଆଶୀର୍ବାଦ ପୁଷ୍ପ

ଚଉଦିଗେ ଭୁରୁଭୁରୁ ବାସ

ତା ମଧ୍ୟେ ଲାଗିଛି ଆଜି

ହେମନ୍ତ ରାହାସ ।।

Image

 

ପ୍ରଶ୍ନ

 

ରାମ କାହିଁ ଦୋଷୀ ହେବ ହନୁମାନ ଲୋକଦେଖଣାରେ

ଛାତି ଚିରି ଯାହା ଦେଖାଇଲା ରାମର ମୂରତୀ

ତୁମେ କାହିଁ କହିବନି ? ଜଗତ କହିଲା ଧନ୍ୟ ବୀର ହନୁମାନ

ଦେଖିବାକୁ ହନୁର ମୂରତୀ, ଚିରିଚକି କେବେ ରାମଛାତି ?

ରାମ ବଧିପାରେ ମାରିଚକୁ ସ୍ୱର୍ଗପୁରେ ଦେବା ପାଇଁ ସ୍ଥାନ,

ବିଭୀଷଣ ମିତ୍ର ହୋଇପାରେ ପାଇବାକୁ ମାନ,

ସୁଗ୍ରୀବ ବି ମିତ୍ରହୁଏ କପଟେ ରାମକୁ ଛନ୍ଦି ତାରାନାମ ହୃଦୟରେ ଥାପି

କିନ୍ତୁ ରାମ ମଥାପିଟେ ଛେଦିବାକୁ ଲକ୍ଷ୍ମଣକୁ ଭେଦିଲା ଯେ ଶକ୍ତି ।।

ସୀତାପାଇଁ ଅସନା ଖିଆଲଯେ ଛାତିରେ ସାଇତି

ସେଇଠି ରଖିଲା ମୋତେ ରାଗତ କରିନି

ପାଦ ତଳେ ଜାଗା ସେ ପାଇଲା

ଯାହା ପାଇଁ ଇନ୍ଦ୍ର ବ୍ରହ୍ମା ସମସ୍ତେ ପାଗଳ

ସୀତା ଯେଣୁ ଅତି ପରିଚିତା

ରାମ ଝୁରୁଥିବ, ଖାଲି ଝୁରୁଥିବ ଆଉ ଝୁରୁଥିବ ।

Image

 

ଗୋଟିଏ ପ୍ରାର୍ଥନା

 

ଏ ସଂସାର ଗହନ ଅରଣ୍ୟେ

ମୋ ହୃଦୟ ବ୍ରହ୍ମଦାରୁ ଝୁରେ ପ୍ରଭୁ

କେଉଁ ଏକ ଅଜଣା ତିଥିକୁ

ଜୀବନ ରଥର ଚକ ଖାଲ ଢିପ

ଡେଉଁ ପଡ଼ିବାକୁ, ସମୟର ବଡ଼ଦାଣ୍ଡେ

କିନ୍ତୁ ନାଭିବ୍ରହ୍ମ ବହୁ ଦୂରେ

ମୋ ହୃଦୟ ବ୍ରହ୍ମଦାରୁ ଝୁରେ ପ୍ରଭୁ

କେଉଁ ଦିନ ହେବ ନବ କଳେବର

ଜୀବନ ରଥର ଯାତ୍ରା ?

ଝୁରି ଝୁରି ଝରିବାକୁ ଦିଅନି ପ୍ରଭୁହେ

ସଂଯୋଗ କରାଅ–

ବ୍ରହ୍ମଦାରୁ ନାଭି ବ୍ରହ୍ମ

କାମନାଟା ମରିବା ଆଗରୁ

ଯୌବନଟା ସରିବା ଆଗରୁ ।।

Image

 

ପଦଚାରଣ

 

ତୁମେତ ଆସିନ ସଖୀ ମୋ କୁଟୀରେ ମୁରୁଜ ଫୁଟାଇ

ତୁମେତ ହସିନ ସଖୀ ! ଓଢ଼ଣାର ଉହାଡ଼ରେ ରହି

ତୁମେତ ଚାହିଁନ କହିବାକୁ

ଯୁଗ ଯୁଗ ଅକୁହା କାହାଣୀ

ତୁମେତ ହାତ ଠାରିନ ବୁଝିବାକୁ

କେତେ ଦୂରେ ସରିବ ଏ ଅସରା ସରଣୀ ।।

ପଥ ପ୍ରାନ୍ତେ ବନର ନୀଳିମା

ଚାହିଁ ନାହଁ ହଜିଯିବା ବିଭୋରେ ତା କୋଳେ

କହି ନାହଁ, ସରଗର ବଗିଚାରେ କେତେ ତରାଫୁଲ

ତୋଳି ଦିଅ ଗଭାରେ ମୋ, କିମ୍ବା ଗାଇ ନାହଁ

ପୀରତିର ଅପାସୋରା ଅବା ମହନୀୟ ମୂଲ ।।

ସପନେ ଆସିଚ ସିନା ଆଣି ନାହଁ ପୀରତିର ମାଳ

ଠାରି ନାହିଁ ହାତ କେବେ ଖେଳିବାକୁ ଲୁଚକାଳି ଖେଳ

ନିର୍ଲିପ୍ତେ ଚାହିଁଚ ସଖୀ ! ଭରି ନାହଁ ତା ଭିତରେ

ଅବ୍ୟକ୍ତ ବ୍ୟଞ୍ଜନା ।

କହି ନାହଁ ଦୂରେ ରହିବାରେ ପାଇଛ ଗୋ ଯୌବନ ଗଞ୍ଜଣା ।।

ସପନେ ଆସିଚ ସଖୀ ବାସ୍ତବର ବୀଣାକୁ ବଜାଇ

ବନ୍ଧୁର ସାକ୍ଷାତେ,

ମୋ ମନକୁ ଦେଇଚି ହଜାଇ,

କେତେ ଦୂରେ ରହିଛ ବା ଲୁଚିଥିବ କାର ଘର କଣେ,

ସବୁତ ଅଜଣା ।

ତଥାପି ସେ ମୁହୂର୍ତ୍ତଟା ଗଉରବ ଭରା

ପାଇଛି ମୁଁ ବନ୍ଧୁତ୍ୱର

ମହତ ପାରଣା ।।

Image

 

ନିଶବ୍ଦ ଅର୍ଥ

 

ତପସ୍ୱିନୀ ଶକୁନ୍ତଳା ଅବାଞ୍ଛିତ ଯୌବନ ଲଭଇ

ବାଞ୍ଛିତ ପ୍ରେମର ଫୁଲ ଧୂଳିରେ ଲୋଟଇ

ଯାହା ଛବି ମନରେ ଉକୁଟେ, ତାକୁ କେବେ କହିହୁଏ ନାଇଁ

ଏ ଫରକ ଜୀବନେ କେ ପାରିବ ତୁଟାଇ ?

ଯାହା ଖାଲି ଝରିଯାଏ ମନ ତଳେ ଜଳିଯାଏ ଧୂଆଁ ନ ଦେଖାଇ

ଏବଂ ସେ ବୁଝି ନପାରେ ଅନ୍ଧକାରେ ସେ ସ୍ମୃତି ଜଗାଇ ।

ଯାହାକେବେ ନମିଳଇ ସମଗ୍ର ସାଧନାପରେ ସିଏତ ଜୀବନ

ହେ ମନର ନାଭିବ୍ରହ୍ମ

କିପରିବା ବୁଝାଇବି

ଜୀବନକି ସତେ ମୂଲ୍ୟହୀନ ?

Image

 

ଆବାହନ

 

ହଳଦୀ ବସନ୍ତ ରାବ ଶୁଭୁଥିଲା ଯେଣୁ

ବସନ୍ତଟି ଆସିଥିଲା ପରା

କି ଲାଭ ହେବ ଝୁରିଲେ

ଗଲା କଥା ଦିଏ ନାଇଁ ଧରା ।।

ହରିଣ ନ ଦିଏ ଧରା । ଦଉଡ଼ନା ବଡ଼ ଖରା ।।

ବୋହୂଚୋରି ଖେଳର ସେ ବୋହୂ କରିଗଲା

ଅଜାଣତେ ଛୁଇଁ ଦେଇଗଲା

ତାକୁ ଛୁଇଁ ପାରିଲିନି ପୁରୁଣା ଖେଳାଳୀ ସେ

ଧାଇଁ ଧାଇଁ ପାଦ ମୋ ଥକିଲା ।।

ବସନ୍ତ ବଗିଚା ମାଳୀ ଫୁଲ ତୋଡ଼ା ଯାଚୁଥିଲା ମୋତେ

ସରାଗର ପ୍ରୀତି ଉପହାର, ହତାଦର କରିଦେଲି ସିନା

ନଥିଲି ଗଭାକୁ ବାନ୍ଧି ପେଡ଼ିଲୁଗା ଖୋଲିତ ନଥିଲି

ଆହା ! କାହିଁକି ମୁଁ କରିଦେଲି ମନା ।।

କୋଇଲି ଡାକିଲା ମୋତେ ତା ସରୁ କଣ୍ଠରେ ହାତଠାରି

ପରଖିନି ରଙ୍ଗତାର ସତକି ଚହଲା

କଳା କୋଇଲିକୁ ଆଉ ଦେଖିପାରିଲିନି

ଅନେଇଲି, ବସନ୍ତତ ଟିକେ କହିଲାନି ଚାଲିଗଲା ।।

ସମୟର ବେଳାଭୂମି କେତେ ପାଦ ଚିହ୍ନ ରଖିଥାଏ

ଲୁହ ସାଗରର ଢେଉ ତାକୁ ଘସିମାଜି ସଫାକରି ଦିଏ

ତାଙ୍କରତ ଦେଖା ନାଇଁ ତାଙ୍କ ପାଦ ଚିହ୍ନ କି କଠାଉ ?

ଭରତର ପ୍ରାଣଧନ ହୃଦୟରେ ଶୋଭା ପାଉଥାଉ ।।

Image

 

ଶୋକ କାମୋଦୀ

 

ଭଗ୍ନଜାନୁ ଦୁର୍ଯ୍ୟୋଧନ ପରି ଭାରତ ସମର ଶେଷେ ଝୁରେ

କାହିଁ ଗୋ ପାଞ୍ଚାଳୀ ଆଜି କାହିଁ କେତେ ଦୂରେ

ପୌରୁଷ ମୋ ହତହୁଏ ସୁଦର୍ଶନ ଚକ୍ର ଆଢ଼ୁଆଳେ

ଯାଜ୍ଞସେନୀ ବିଚାର ନକଲ

ଶୌର୍ଯ୍ୟବୀର୍ଯ୍ୟ ହୀନ ମୁଁ ସତରେ ?

ରକ୍ତନଦୀ ସନ୍ତରଣେ ହାରି

ଓଲଟାଏ ଜୀବନ କାବ୍ୟର କେତେ ନଷ୍ଟ ପୃଷ୍ଟା

ସେ ମଧୁଲଗନ ଆଜି ନଷ୍ଟରାତ୍ରୀ

ତାହାରି କବିତା ।।

ଶୁଣିଛକି ଫୁଲର କାହାଣୀ ?

ମଧୁଚୋଷା ରସଝରା ତଥାପି ଗଳାର ମାଳ

ଖୁସି ହୁଏ ପାଷାଣ ଦେବତା

ଅନୁମାନ କର ସଖୀ ! କେଉଁଠାରେ ସରିଥିବ

ତୁମ ଗଲା ଦିନର କବିତା ।।

ମୋ ଶବ ବାହି ମୁଁ କ୍ଳାନ୍ତେ ଆଞ୍ଜୁଳା ଜଳରେ ଦେଖେ

ତୁମ ପ୍ରତିବିମ୍ବ

ସତ କି କହିଛ ତାଙ୍କୁ ଗଲାଦିନ କଥା ସବୁ

କି ଆଶାରେ ଏ ପୃଥିବୀ ବଞ୍ଚେ କିବା ତାର ଦମ୍ଭ ?

ଥରିନିକି ମଧୁ ଚନ୍ଦ୍ରିକାର ସ୍ୱର୍ଣ୍ଣ ଦୀପଶିଖା ?

ତୁମ ଛାତି ଥରିନିକି ?

ଶୁଣିଚକି ତାଙ୍କ ବୁକେ ଶୋଇ ଶୋଇ

ଅତୀତର ସ୍ୱର ଦିଆ ସେଇ ନଷ୍ଟ ରାତ୍ରୀର କବିତା ?

ଝୁରୁଥିବି, କାନଡେରି ଶୁଣୁଥିବି

ଗାଉଥିବି ଯାହା ମୋର ଜୀବନର ଆଶା

କେବେ ଯଦି ଦେଖାହୁଏ

ନୀରବ ରହିବା ସତ୍ତ୍ୱେ

ତୁମ ହୃଦେ କିନ୍ତୁ ଜୀବନ୍ତ ହେବ ସେ ସ୍ୱର

ପିଞ୍ଜରାକୁ ଦୋହଲାଇ ବାଜିବ କାନରେ

ସେଇ ନଷ୍ଟ ରାତ୍ରୀର କବିତା ।।

Image

 

ତନୁଗନ୍ଧ

 

ଗଜଦନ୍ତ ବୋଇତରେ ଛାଡ଼ିବାକି ସିଂହଳ ନଗର !

ଲାବଣ୍ୟବତୀର ଦେଶ

ସବୁ ତର୍କ ପ୍ରଶ୍ନ ଅନ୍ତେ, ନଛାଡ଼ିବା ସିଦ୍ଧାନ୍ତ ମୋହର ।।

ଏ ସହର ମଣି ମାଣିକ୍ୟର କନକର ପୁର

ବିଦ୍ରୁମରେ ତିଆରି ଯା ପୁଷ୍କରିଣୀ ପାବଚ୍ଛ ପଥର

କାହିଁ ନ ଚାଲିବା ସିଂହଳ ରାଜ ପଥରେ କର୍ପୂର ଧୂଳିରେ

ଯିବା ନାହିଁ, ନାହିଁରେ ବୋଇତ

ଲାବଣ୍ୟବତୀର ସାଥେ ମିଳିବ କି ଭେଟ ?

‘‘ଶବରୀ ଶର୍ବରୀ ଶେଷେ ଅରଣ୍ୟକୁ ଯାଏ,

କରି ବିଦାରିତ ଗଜମୋତି ଫିଙ୍ଗିଦିଏ ।’’

ବିକା ନ ଯାଏରେ, କିଅବା ସଉଦା ଆମେ ବିକିବା ମହୀରେ ।।

ମୁକତି ଚାହୁଁଛୁ କିରେ, ଯିବୁ ସ୍ୱର୍ଗପୁରେ ?

ସ୍ୱର୍ଗ ପୁର ନାହିଁ ଗଜଦନ୍ତ ବୋଇତରେ

ନନ୍ଦନର ପାରିଜାତ ମିଳିବ ଏଠାରେ

ଲାବଣ୍ୟବତୀର, ବାସି-ଶେଯେ ଝାଉଁଳା ଫୁଲରେ ?

ତତ୍ତ୍ୱଜ୍ଞାନୀ ଭ୍ରମର ଗୁହାର ଅଛି ଏଇଠାରେ ବାଟ

ତିଳଚୋପା ପ୍ରାୟ ତହିଁ ଲାଗିଛି କବାଟ

ଅଭେଦ୍ୟ ସେ ପୁରେ ଯିବୁ ଏକଇ କାମନା

ଲାବଣ୍ୟ ବତୀର, ଶୟନ ମନ୍ଦିର, ଯୌବନର ଅଶେଷ ଯାତନା ।।

କି ଅବା ଅଭାବ, କାହିଁ ଆସେ କି ମାଣିକ୍ୟ ଆସେ

ଅବୋଲକରାରେ ସବୁପଣ୍ୟ ଦେଖିଗଲା, କିଛି ନ କହିଲା

ଯାହା ବୁଝିସାରି ଅଛି ଭାଷାର କି ଦରକାର ଥିଲା !

ଜେମାକୁ କି ଅଭାବ ପଥର,

ଫେରାଦିଲା, ତା ମନ ଝରକା ଡେଇଁଥିଲି ତା ବିଚାରେ ଚୋର

ନିଜେ ଦୋଷୀ ମୁଁ ତା ପାଇଁ ଆଜି ବିଚାରକ

ଅତି କାମନାରେ ପଦ୍ମ ସାଜଇ କୋରକ ।।

ବୋଇତରେ କିଏବା ଜାଣିଛି

ଲାବଣ୍ୟବତୀ କିଣିନି ମୋତେ, ମୁଁ କିଣିନାହିଁ ତାକୁ

କିନ୍ତୁ ସତ୍ୟ ହୃଦୟର ବେଉସା ହୋଇଛି ।।

କିଅବା ପାଇବି ଇନ୍ଦ୍ରପଦ ପଛେ ଛାଡ଼ି ଏ ନାରୀ ସମ୍ପଦ

ମମତାରେ କେଉଁପରି କ୍ଷୁର ଚଳାଇବି ଲାବଣ୍ୟବତୀ ଠାରୁ ମୁଁ ଲୁଚି ପଳାଇବି

ଯିବିନାହିଁ, ବୋଇତରେ କେବେ ଯିବିନାହିଁ

ଯା ପାଦ ତଳକୁ ତୁଚ୍ଛ ଚଉଦ ବ୍ରହ୍ମାଣ୍ଡ

ସେ ଲାବଣ୍ୟବତୀ, ଅଭିସାର କରିଛି ମୋପାଇଁ ।।

ନୁହେଁ ମିଥ୍ୟା, କଳ୍ପନା ବା ଦିବସ ସ୍ୱପ୍ନର

ଯେପରି ମିଳନ ମୋର ଲାବଣ୍ୟବତୀ ସହିତ, ସତ୍ୟ ସେ ପ୍ରକାର ।।

ଚେତନା ମୁଁ ହାରୁଛିରେ ସମ୍ବିତ୍ ବା ପାଇବି କି ନାହିଁ

ଲାଗେ ମୋତେ କମଳର ପାଖୁଡ଼ାରେ ଲାବଣ୍ୟତୀର କୋଳେ ଅଛି ଶୋଇ ।

ପ୍ରାଣର ବୋଇତ ମୋର ! ଏକାକାର କରିପାରୁ ଅନେକ ଫରକ,

ଅନେକ ପ୍ରାପ୍ତି ହଜାର ନୂଆ କରି ଖୋଜେ ସବୁ ସତ୍ୟ, ଅମୂର୍ତ୍ତ ମୁହୂର୍ତ୍ତ ।।

Image

 

ଅପାର୍ଥିବ

 

ଚିଠି ଲେଖ ଥରେ ବନ୍ଧୁ ! ଚିଠି ଲେଖ ଥରେ

ପଢ଼ିବି ମୁଁ ବୈଶାଖର ନିଦାଘ ପ୍ରହରେ

ଏବଂ କପୋତୀର ବାହୁନା କଣ୍ଠରେ ।।

ତୁମ ଅଭିମାନ ମୁକ୍ତା ଶାମୁକା ଭିତରେ,

ଚିର ଦିନ ଥାଉ ବନ୍ଧୁ, ଶୋଇଥାଉ ଗହମ ନିଦରେ

କିଥାଏ କହିବି ବନ୍ଧୁ, ରଖିବକି ?

ଚିଠି ଲେଖ ଥରେ ।।

ଆଜିର ଏ ଜୀବନ ସାୟାହ୍ନେ

ଦୁର୍ବାର କାମନା ପୁଣି

ଆହତ ଆକାଂକ୍ଷା, ସମ୍ବଳ ମୋହରି

ମନେ ହୁଏ ତୁମ ଲେଖା ଚିଠିଏ ପଢ଼ନ୍ତି ଗୋପନ ଆବୋରି ।।

ଚିଠି ଲେଖ ଥରେ ବନ୍ଧୁ ! ଚିଠି ଲେଖ ଥରେ

ଅଭିମାନ ଦ୍ୱୀପପୁଞ୍ଜୁ, କେଉଁ ଏକ ମରାଳୀ ଥଣ୍ଟରେ

ଥରେ ମାତ୍ର ଚିଠି ଲେଖ ଜାଣିବାକୁ

କିପରି ମୁଁ ରହିଛି ଏଠାରେ ।।

କ୍ଷମାକର ଚିଠି ଲେଖ ଥରେ

ପଢ଼ିବି ମୁଁ ନିଶୀଥିନୀ ତୃତୀୟ ପ୍ରହରେ

ଲୁହରେ ଭିଜାଇ ବନ୍ଧୁ

ଏକାକିନୀ ଚକୋରୀ କଣ୍ଠରେ ।।

ଏତିକି ମାତର ବନ୍ଧୁ ଖିଅଏ ସ୍ମୃତିରେ

ସନ୍ତୋଷ ମିଳିବ, ଚିଠି ଲେଖ ଥରେ ।।

ଘୃଣାକର ପଛେ ଭୁଲିଯାଅ

ଏତିକି କର ହେ ବନ୍ଧୁ ଚିଠିଟିଏ ଦିଅ ।।

ପ୍ରିୟତମ ! କୃପାକର ବାରେ ମାତ୍ର ମୋତେ ଦୟାକର

ଆକାଂକ୍ଷା ମୋ ପୂର୍ଣ୍ଣକର କିଛି ମୁଁ ଚାହେଁନା

ଚିଠିଏ ମାତର ।।

Image